ବାର ଭଉଣୀ

 

 

 

 

 

 

 

 

 

ବାର ଭଉଣୀ

ଶ୍ରୀ ଗୋଦାବରୀଶ ମହାପାତ୍ର

 

ଏକ ରାଇଜରେ ଏକ ରଜା ଥାଆନ୍ତି । ସେ ରଜାଙ୍କର ବାର ଝିଅ । ରଜା ଝିଅମାନଙ୍କୁ ଭାରି ସୁଖ ପାଉଥାନ୍ତି; ଯିଏ ଯେତେବେଳେ ଯାହା କହନ୍ତି ତା ଆଣି ଦିଅନ୍ତି । ସେ ବାରଭଉଣୀଯାକ ରୂପରେ ସମସରି, କେହି କାହାକୁ ଊଣା ନୁହନ୍ତି, ସତେ ଯିମିତି କି ଗୋଟିଏ ଚାଉଳରେ ଗଢ଼ା । ତାଙ୍କ ସୁନ୍ଦରପଣରେ ରାଇଜ ଆଲୁଅ ହୋଇ ଯାଉଥେ । ସମସ୍ତଙ୍କର ଏକାପରି ପାଟ ପତନି, ଏକାପରି ଅଳଙ୍କାର ପତ୍ର । କିଏ କାହାକୁ ଦଣ୍ତେ ଛାଡ଼ି ଚଳି ପାରନ୍ତି ନାଇଁ। ସଭିଏଁ ଏକାଠି ବସନ୍ତି, ଏକାଠି ଗାଧେଇ ଯାନ୍ତି, ଏକା ବେଳକେ ଖାଆନ୍ତି; ଏକା ଘରକେ ଶୁଅନ୍ତି । ଘରେ ବାର ଭଉଣୀଙ୍କ ପାଇଁ ବାରୋଟି ପଲଙ୍କ । ପଲଙ୍କଗୁଡ଼ିକ ଏକାପରି ସମତୁଲ । ଖୁରା ସୁନାରେ, ଫୁଲ ହୀରାରେ, କୁଟିକମ ମୋତି ମାଣିକରେ-କିଏ କାହାକୁ ଖୁଣି ଦବାକୁ ନାଇଁ ।

 

ଏ ବାରଭଉଣୀଯାଙ୍କୁ କି ଗୋଟିଏ ମନ୍ତର ଜଣା ଥାଏ-ଯିମିତି ରାତିରେ ନିଶା ଗରଜେ, ନଅର ବାଆର ନିଛାଟିଆ ହୋଇଯାଏ, ଭିତରଖଞ୍ଜାରେ ସୋର ଶବଦ ଶୁଘେ ନାଇଁ, ବାରଭଉଣୀଯାକ କଣ କରନ୍ତିକି, କ’ ରାଇଜକୁ ବୁଲି ବାହାରନ୍ତି । ସେମାନେ ତ ମନ୍ତର ଜାଣି ଥାଆନ୍ତି, ତାଙ୍କ ଯିବା ଆସିବା କେହି ଦେଖନ୍ତି ନାଇଁ । ଯାଆନ୍ତି ଯେ, ପାହାନ୍ତିଆ ପହରକୁ ଉଆସକୁ ଫେରି ଆସି, ଯିମିତି ଶୋଇବାର କଥା ସିମିତି ଶୋଇ ପଡ଼ନ୍ତି । ହେଲେ, ସକାଳୁ ଦେଖିଲା ବେଳକୁ ତାଙ୍କ ଲୁଗାପଟା ଖାଲି ମଅଳ ମେଳଛ ଦିଶୁଥେ, ରାତି ଅନିଦ୍ରା ହେଲା ପରି ଆଖି ନାଲି ଟହ ଟହ ହୋଇ ଫାଟି ପଡ଼ୁଥେ । ଦିନ ପହରକ ଯାଏ ସଭିଏଁ ଶୋଇ ଥାଆନ୍ତି ।

 

ଏ କଥା ଉଠି ଉଠି ରଜାଙ୍କ କାନକୁ ଗଲା । ରଜା ସତ ମିଛ ବୁଝିବାକୁ କେତେ ପହରା ଦିଆଇଲେ, ଜଗୁଆଳ ରଖାଇଲେ; ହେଲେ, କିଛି ଅନ୍ତ ପାଇଲେ ନାଇଁ । ସବୁ ଦିନ ସକାଳୁ ଆସି ଦେଖନ୍ତି, ଝିଅମାନଙ୍କର ଲୁଗା ମଳିଆ, ଆଖି ନାଲି ଟହ ଟହ, ବାର ଭଉଣୀଯାକ ଘୁମୋଉ ଥାନ୍ତି ।

 

ରଜା ସେଠୁ ରାଇଜଯାକ ଡ଼େଙ୍ଗୁରା ବଜାଇ କୁହାଇଲେ ‘‘ଯିଏ ଦେଖି ଆସି କହିପାରିବ ଯେ, ଜେମାମାନେ ରାତିରେ କୁ’ ରାଇଜକୁ ବୁଲି ଯାଉଚନ୍ତି, ସିଏ ସେମାନଙ୍କ ଭିତରୁ ଯାହାକୁ କହିବ ତାକୁ ବିଭା ହେବ, ଆଉ ମୋ ଅନ୍ତେ ଏ ରାଇଜର ରଜା ହେବ । ନାଇଁ, ଯିଏ କହି ପାରିବ ବୋଲି କହିବ, ମାତ୍ର ତିନିଦିନ ତିନିରାତି ଭିତରେ କହି ପାରିବ ନାଇଁ, ଶୂଳିଆ ପଦାରେ ତା ମୁଣ୍ତକାଟ ହେବ।

 

ପହିଲୁ ଏକ ରଜାପୁଅ ଆସିଲା । ତାକୁ ଭାରି ଆଦରରେ ଜେମାଙ୍କ ପାଖଘରେ ବସାଛଞ୍ଚା ଦିଆହେଲା । ଜେମାଙ୍କ ଘର ଆଉ ରଜାପୁଅ ଘର ମଝିରେ ଖାଲି କାନ୍ଥଟେ । ସେ ଘରେ ଖୁଡ଼ୁକିନି ହେଲେ ଏ ଘରକୁ ଶୁଘେ । ସଞ୍ଜ ବେଳକୁ ଜେମାମାନେ ଆସି ରଜାପୁଅକୁ ଭାରି ଆଦର ଦେଖେଇଲେ, କଥାବାର୍ତ୍ତା ହୋଇ ଗଲେ; ହେଲେ, ରଜାପୁଅର ମନ ଆଉ କାହିଁରେ ନ ଥାଏ । ସିଏ ମନେ ମନେ ଜାଗତିଆର ଥାଏ, ଯିମିତି କି ଜେମାମାନେ ଘରୁ କୁଆଡ଼େ ପାଦ ନ କାଢ଼ନ୍ତି । ଇମିତି ହୋଉ ହୋଉ ଅଧରାତି ବେଳକୁ ରଜାପୁଅକୁ ନିଦ ଲାଗି ଗଲା ଯେ, ସିଏ ଶୋଇ ପଡ଼ିଲା । ଉଠିଲା ବେଳକୁ ସକାଳ । ଦେଖିଳା, ଜେମାମାନେ କୁଆଡ଼ୁ ବୁଲି ବୁଲି ଆସି ହାଲିଆ ହେଇ ପଲଙ୍କମାନଙ୍କରେ ଶୋଇଚନ୍ତି । ତା ଆର ରାତି ସିମିତି ଜଗିଲା, ଶୋଇ ପଡ଼ିଲା । ଇମିତି ତିନିରାତି ଗଲା, କିଛି ହେଲେ କଥା ସେ ରାଜାଙ୍କୁ କହିପାରିଲା ନାଇଁ। ରଜା ତ ଆଗରୁ ହୁକୁମ କରିଚନ୍ତି, ନ କହି ପାରିଲେ ମୁଣ୍ତ କାଟ ହବ, ଏ ନ କହ ପାରିଲାରୁ କଟୁଆଳ ଆସି ତାକୁ ଶୂଳିଆ ପଦାକୁ ନେଇଗଲା, ସେଠି ତା ମୁଣ୍ତକାଟ ହେଲା । ଇମିତି କେତେ ରଜାପୁଅ ଆସିଲେ, କେତେ ମନ୍ତ୍ରି ପୁଅ ଆସିଲେ, କୁ’ ରାଇଜରୁ କେତେ ଶାଳୁଆ ଗଜାପରି ଭେଣ୍ତାମାନ ଆସିଲେ-ସମସ୍ତେ ଆସି ରଜାଝିଅ ଲୋଭରେ, ରାଇଜ ଲୋଭରେ ଜାଗନ୍ତି ମାତ୍ରକ କେହିହେଲେ କିଛି ଉଣ୍ତି ଜାଣିପାରନ୍ତି ନାଇଁ । ଶେଷକୁ ଶୂଳିଆ ପଦାରେ କୁଢ଼ କୁଢ଼ ହାଡ଼ ଗଦା ହୋଇଗଲା ।

 

ଏକ ଦିନକର ହେଇଚି କଣ, ସେଇ ରାଇଜ ବାଟେ ଏକ ପରଦେଶୀ ପାଇକ ତା ଘରକୁ ଯାଉଚି । ଲଢ଼େଇରେ ଖୁଣ ହେବାରୁ ସେ ଆଉ ଲଢ଼ି ପାରିଲା ନାଇଁ, ରଜା ତାକୁ କିଛି ପାଇଟି ପତ୍ର ନ ଦେଇ ତଡ଼ି ଦେଇଥିଲେ । ସିଏ ଯାଉ ଯାଉ ଏକ ବଣ ପାଖରେ ଗୋଟିଏ ବୁଢ଼ୀ ମାଈପିକୁ ଭେଟିଲା । ବୁଢ଼ୀଟି ୟାକୁ ଦେଖି ପଚାରିଲା, ‘‘କି ରେ ବାପ, କୁଆଡ଼େ ଯାଉଚୁ ?’’ ପାଇକ କହିଲା, ‘‘ଆଲୋ ମାଉସି, ଏ ପୋଡ଼ା କପାଳରେ ଆଉ କି ସୁଖ ଅଛି ଯେ କୁଆଡ଼େ ଯିବି ? ଯାଉ ଯାଉ ଯୁଆଡ଼େ ଯିବି । ଏତିକି, ଏ ରାଇଜ ରଜାଙ୍କ ଜେମାମାନେ ରାତିରେ କୁ’ଠାକୁ ବୁଲିବାକୁ ଯାଉଚନ୍ତି ଜାଣିବାକୁ ମୋର ଭାରି ମନ । ଯାଉଚି, ଯେବେ ଜାଣିପାରନ୍ତି, ତେବେ ରଜା ହୋଇ ପାରନ୍ତି ।’’

 

ବୁଢ଼ୀ କହିଲା, ‘‘ଏ ତ କିଛି ବଡ଼ କଥାଟେ ନୁହେ ଯେ ୟା କହିଲୁ । ତାଙ୍କୁ ଜଗିଲା ବେଳକୁ ଟିକିଏ ତାକତରକରେ ଚଳିବ, ବଡ଼ ଜେମା ଯେତେବେଳେ ମୋଦକଟିଏ ଆଣି ଖାଇବାକୁ ଦବ, ତାକୁ ଖାଇବ ନାଇଁ, ସିଏ ଗଲା ଉତ୍ତାରୁ ମିଛରେ ଘୁଙ୍ଗୁଡ଼ି ମାରି ଶୋଇବ, ତେବେ ତ ସବୁ ଅନ୍ତର ଗୋତର ପାଇ ପାରିବ ।’’ ୟା କହି ବୁଢ଼ୀ ପାଇକକୁ ଗୋଟିଏ ବନାତ ଦେଲା । କହିଲା, ‘‘ହେଇଟି, ଏଟିକି ନବୁ ଯେ, ୟାକୁ ଘୋଡ଼େଇ ହେଇ ପଡ଼ିଲେ ତୁ ସମସ୍ତିଙ୍କି ଦେଖି ପାରିବୁ ତତେ ଆଉ କେହି ଦେଖି ପାରିବେ ନାଇଁ । ଇମିତି ହୋଇ ତୁ ଜେମାଙ୍କ ପଛେ ପଛେ ଜଗି ଜଗି ଯିବୁ ।’’

 

ବୁଢ଼ୀଠୁ ଏ କଥା ସବୁ ଶୁଣି ପାଇକ ରଜାଙ୍କ ପାଖକୁ ଯାଇ ଜଣେଇଲା ଯେ, ତାକୁ ତିନି ରାତି ସିଲ ହେଲେ ଜେମାମାନେ କୁଆଡ଼େ ଯାଉଚନ୍ତି ସିଏ କହିଦବ । ରଜା ହଁ କଲେ । ତାକୁ ସିମିତି ଭଲକରି ବସା ଛଞ୍ଚା ଦେଇ ଜେମାଙ୍କ ପାଖ ଘରେ ରଖେଇଲେ ।

 

ବେଳବୁଡ଼ ବେଳକୁ ବଡ଼ ଜେମା ଏକ ମୋଦକ ଧରି ପାଇକକୁ ଖାଇବାକୁ ଦବ ବୋଲି ଆସିଲା । ପାଇକ ତ ସବୁ ପେଞ୍ଚପାଞ୍ଚ ଆଗରୁ ବୁଝି ରଖିଚି, ଜେମା ତା ସଙ୍ଗେ ଆଳାପ କରି ଯିମିତି ଘରକୁ ଗଲା ଭାରି, ଇଏ ମୋଦକଟିକି ପଞ୍ଜରବାଟେ ଆର ପାଖକୁ ଫୋପାଡ଼ି ଦେଇ ମିଛରେ ଶୋଇପଡ଼ି ଘୁଙ୍ଗୁଡ଼ି ମାଇଲା । ଜେମାମାନେ ତା ଘୁଙ୍ଗୁଡ଼ି ଶୁଣି ମନେ ମନେ ହସିଲେ, କହିଲେ, ‘‘ଆହା ମରିବାକୁ ତ କେତେ ବାଟ ଥିଲା, ଇମିତି ମରିବାକୁ କିଆଁ ଅଇଲୁ ?’’

 

ୟା ଉତ୍ତାରୁ ଅଧରାତି ହେଲାରୁ ସଭିଏଁ ଆପଣା ଆପଣା ପେଟରା, ଆଡ଼ୁଖୁଡ଼ ଫିଟେଇ ପାଟ ପତନି କାଢ଼ିଲେ, ବେଗେ ଯିବେ ବୋଲି ତରତର ହୋଇ ବେଶବାସ ହେଲେ, ବେଶ ହେଉଚନ୍ତି, ସାନ ଜେମା କହିଲା, ‘‘ଆଜି ମୋ ମନଟା କାଇଁକି ଘାଣ୍ଟି ହେଉଚି ନାନୀ ! କଣ ହେଲେ ଅନିଷ୍ଟ ଘଟିବ ।’’ ବଡ଼ ଭଉଣୀ ସେଠୁ କହିଲା, ‘‘ହା’ ଲୋ ଅଲଖିଣି, ତୋର ସବୁଦିନେ ଏ କଥା ଗଲା ନାଇଁ । ଦେଖୁଚୁତ କେତେ ରଜାପୁଅ, କେତେ ମନ୍ତ୍ରିପୁଅ ଜଗି ଜଗି ଗଲେ, କେହି ହେଲେ ସୁରାଖ ପାଇଲେ ନାଇଁ, ଏ ପୁଣି ଆସିଚି ପାଇକଟେ ଯେ ଏଥିକି ଏଡ଼େ ଡର ? ଏ ତ ସିମିତି ଶୋଇ ପଡ଼ିଥାନ୍ତା, ମୁଁ ତାକୁ ଆଉରି ନିଶା ମୋଦକ ଖୋଇଚି, ଏଥିରେ ସିଏ ଆଉ ଉଠିବ ବୋଲି ଭାବିଚୁ ?’’

 

ସଜବାଜ ହୋଇ ସଭିଏଁ ଆସି ପାଇକକୁ ଦେଖିଲେ, ସିଏ ଘୁଙ୍ଗୁଡ଼ି ମାରୁଚି । ତାର ହାତ ଗୋଡ଼ ହଲ୍‍ ନାଇଁ କି ଚଲ୍‌ନାଇଁ । ବଡ଼ ଭଉଣୀ ସେଠୁ ଆପଣା ପଲଙ୍କ ପାଖକୁ ଯାଇ ତୁନି ତୁନି କରି କଣ ଦି’ପଦ କହିଦେଲା ଯେ, ପଲଙ୍କଟା ଆପେ ତଳକୁ ଲସି ଗଲା, ଆଉ ସେଠି ତଳକୁ ଗୋଟେ ବାଟ ଫିଟି ଗଲା । ଆଗରେ ବଡ଼ ଭଉଣୀ, ତା ପଛକୁ ବଡ଼ ମଝିଆଁ, ଇମିତି ସଭିଏଁ ଗୋଟିକି ଗୋଟି ହୋଇ ସେଇ ବାଟେ ତଳକୁ ତଳକୁ ଚାଲିଗଲେ । ପାଇକ ସେତେବେଳକୁ ବନାତଟି ଘୋଡ଼େଇ ହୋଇ ତାଙ୍କ ଦୁଆରମୁହଁରେ ଆସି ହାଜର ହେଲାଣି । ସାନ ଜେମା ଯିମିତି ଭିତରକୁ ଯିବାକୁ ଗୋଡ଼ କାଢ଼ିଲା, ପାଇକ ତା ପଛେ ପଛେ ଚାଲିଲା । ସେ ଭିତରକୁ ତ ପାହାଚ ପଡ଼ିଚି, ପାଇକ ଯାଉ ଯାଉ ସାନ ଜେମାର ଲମ୍ବ ପଣତ କାନିଟା ପାହାଚରେ ଘୁଷୁରୁ ଥିଲା, ଅଜାଣତରେ ଚକଟି ଦେଲା । ସିଏ ସେଠୁ ବଡ଼ କାକୁର୍ତ୍ତିରେ ପାଟିକରି ଡାକିଲା, ‘‘ଏ ନାନୀ, ଏ ନାନୀ, ମୋ ପଛରୁ କାନିଟା କିଏ ଭିଡ଼ି ଧରିଲା ।’’ ବଡ଼ ଭଉଣୀ କହିଲା, ‘‘ନାଇଁ ମ, ତୋ କାନି କିଏ କାଇଁକି ଭିଡ଼ନ୍ତା । କାନ୍ଥରେ କଣ୍ଟା ଫଣ୍ଟା ଥିବ ଯେ କାନି ଲାଗି ଯାଇଥିବ ।’’

 

ଶହେ କି ଦି’ଶହ ପାହାଚ ଗଲାରୁ ସଭିଏଁ ତଳକୁ ଓହ୍ଲେଇଲେ । ସେ ତଳେ କଣ ହୋଇଚି କି, ଅତି ସୁନ୍ଦର ବଗିଚାଟିଏ ଅଛି । ତହିଁର ଗଛ ପତ୍ର ସବୁ ଖାଲି ରୂପାର । ବଗିଚାଟାଯାକ ପୂନିଆଁଚାନ୍ଦ ଆଲୁଅ ପରି ଜକ ଜକ ଦୁଶୁ ଥାଏ। ପାଇକ ତ ପଛରେ ଥିଲା, ବିଚାରିଲା, ଏ ଗଛରୁ ଗୋଟେ ଡାଳ ନେବି ଯେ ଆସିଥିଲି ବୋଲି ରଜାଙ୍କ ଆଗରେ ଚିହ୍ନଟ ଦେବି । ୟା ଭାବି ଯିମିତି ସିଏ ଡାଳୁଟେ ଭାଙ୍ଗିଚି, ଗଛରୁ ଏକ ଘିଡ଼ି ଘିଡ଼ିଆ ଶବ୍ଦ ଶୁଘିଲା । ତା ଶୁଣି ସାନ ଜେମା ଭୟରେ ଥରିହରି ଡାକିଲା, ‘‘ନାନୀ, ଆଜି କଣ ହେଲେ ଅନିଷ୍ଟ ଘଟିବ । ଆମ ପଛରେ ଏଠି କିଏ ଜଣେ ଅଛି । ଶୁଣିଲୁ ନାଇଁ, ଏଇଲେ କିମିତି ଗୋଟେ ଶବ୍ଦ ହେଲା ? ଆଉ ତ କେବେ ଆମେ ଇମିତି ଶୁଣି ନ ଥିଲେଁ ।’’ ବଡ଼ ଜେମା କହିଲା, ‘‘ନାଇଁ ଲୋ, ଇଏ ଆଉ କିଛି ନୁହେ, ଆମେ ଯିବା ବୋଲି ରଜା ପୁଅମାନେ ତେଣେ ଆନନ୍ଦରେ କୋଳାହଳ କରୁଚନ୍ତି ।’’

 

ରୂପା ବଗିଚା ଉତ୍ତାରୁ ସୁନା ବଗିଚା ପଡ଼ିଲା । ସେ ବଗିଚାର ଗଛ ପତ୍ର ସବୁ ସୁନାରେ ତିଆରି । ସବୁଥିରେ ସୁନାର ଫୁଲ ଫୁଟିଚି, ସୁନାର ଫଳ ଧରିଚି । ତା ପାଖରେ ଆଉ ଗୋଟେ ବଗିଚା ପଡ଼ିଲା ଯେ, ସେ ବଗିଚାର ଗଛ ପତ୍ର ଖାଲି ହୀରାରେ ଗଢ଼ା । ପାଇକ ସବୁଥିରୁ ଡାଳେ ଡାଳେ ଭାଙ୍ଗିଲା, ସବୁ ଥର ସିମିତି ରଡ଼ିଟେ ଲେଖେ ଶୁଘିଲା । ସାନ ଜେମା ଭୟରେ ପଛରୁ ସବୁ ଥର ପାଟି ନାନୀକି ଡାକେ; ମାତ୍ରକ ନାନୀ ତାକୁ ଇଆଡ଼ୁ ସିଆଡ଼ୁ ବତେଇ ତୁନି କରି ଦିଏ ।

 

ଏହିପରି ସଭିଏଁ ଯାଇ ଏକ ଦହ ପାଖରେ ପହଞ୍ଚିଲେ । ସେ ଦହକୁ ଚାହିଁଲେ ଆଖି ପାଉ ନାଇଁ । କାଚକେନ୍ଦୁ ପରି ପାଣି, ଖାଲି ଲହରୀ ଉପରେ ଲହରୀ କୂଳକୁ ଉବୁକେଇ ଉଠୁଚି । କୂଳରେ କଣ ହୋଇଚି ନା, ବାରଗୋଟି ସାନ ସାନ ନାଆ ବନ୍ଧା ହୋଇଚି । ସେଥିରେ କେହି ନାଉଡ଼ି ନାହାନ୍ତି । ବାର ଜଣ ଦିବ୍ୟ-ସୁନ୍ଦର ରଜାପୁଅ ଗୋଟିଏ ଗୋଟିଏ ନାଆରେ ଏକ ଏକ କାତି ଧରି ବସିଚନ୍ତି । ଏ ରଜା ଝିଅମାନଙ୍କୁ ଦେଖି ସେମାନେ ଭାରି ବହୁମାନ କରି ନାଆକୁ ନେଇ ଗଲେ-। ସବୁ ନାଆରେ ଜଣେ ଲେଖାଏଁ ରଜାପୁଅ ସାଙ୍ଗରେ ଜଣେ ଲେଖାଏଁ ଜେମା ବସିଲେ । ପାଇକ ତ କାହା ଆଖିକି ଦିଶେ ନାଇଁ, ସିଏ ସାନ ଜେମା ପଛେ ପଛେ ତା ନାଆ ଓପରକୁ ଉଠିଗଲା ।

 

ରଜାପୁଏ ନାଆ ବାହିଲେ । ଯାଉ ଯାଉ ଯୋଉ ରଜାପୁଅ ସାନ ଜେମା ସାଙ୍ଗେ ବସିଥିଲା, ନାଆ ମଝି ଗଣ୍ତରେ ହୋଇଚି, କହିଲା, ‘‘କାଇଁକି ଆଜି ଏ ନାଆଟା ମୋର ଏଡ଼େ ଓଜନ ଲାଗୁଚି, ବାହି ବାହି ହାଲିଆ ହୋଇ ଗଲିଣି, କିଛି ଜାଣି ପାରୁ ନାଇଁ ।’’ ଜେମା କହିଲା, ‘‘ଆଜି କିମିତି ଗୁଳୁଗୁଳିଆ ପାଗୁଟେ ହୋଇଚି ଯେ ତମକୁ ସିମିତି ଲାଗୁଥିବ । ମତେ ତ ଭାରି ଦହକବିକଳ ଲାଗୁଚି ।’’

 

ଦହ ଆର ପାଖେ ଗୋଟିଏ ଅତି ଉତ୍ତମ ସୁନ୍ଦର ନାହିଁ ନଥିବା ଘର । ଦେଖିଲେ ଆଖି ଝଲସି ଯିବ, ମୁଣ୍ତରୁ ଠେକା ଖସି ପଡ଼ିବ । ଭିତରେ ବାଇଦ ବାଜଣା ବାଜୁଚି ଯେ, ପହରେ କାନେଇବାକୁ ମନ ହେବ । ରଜାପୁଅ ରଜାଝିଅ ସମସ୍ତେ ଆର କୂଳରେ ଓହ୍ଲେଇ ହାତ ଧରାଧରି ହୋଇ ସେ ଘର ଭିତରକୁ ଗଲେ । ଭିତରେ ଖଟପଲଙ୍କ ପଡ଼ିଚି, ଫୁଲ ଗଭାରେ ଘରଦ୍ୱାର ସଜା ହୋଇଚି । ସେ ଘରେ କିଛି ଦୁର୍ମିଳ ନୁହେ, ଯାହା ଲୋଡ଼ିବ ତା ଅଛି । ଏମାନେ ସେ ଭିତରକୁ ଯାଇ ଗପ ସପ କଲେ, ଖେଳିଲେ, ବୁଲିଲେ, ନାଚିଲେ, ହସିଲେ । ଶେଷକୁ ପୋଇଲୀ ସଭିଙ୍କ ପାଇଁ ସୁନା ଥାଳୀ, ରୂପା ଗିନାରେ ଖାଇବାକୁ ଆଣି ଥୋଇ ଦେଲା । ସଭିଏଁ ଖାଇ ବସିଲେ । ମାତ୍ରକ ପାଇକ ଏଣେ କଲା କଣ ନା, ସାନ ଜେମା ପାଇଁ ବଢ଼ା ହୋଇଥିବା ଦୁଧତକ କେତେବେଳେ ଆଗରୁ ଆସି ପିଇ ଦେଲା । ସିଏ ଗିନା ଦେଖିଲା ବେଳକୁ ଦୁଧ ନା ଫୁଧ! ସେଠୁ ଭୟରେ ପାଟି କଲା । ବଡ଼ ଜେମା ତହୁଁ ତାକୁ କେତେ ବୋଧବାଧ କରି ତୁନି କରି ଦେଲା ।

 

ଖିଆ ପିଆ ସାରି ସମସ୍ତେ ଆସି ନାଆରେ ଫେରେ ବସିଲେ । ପାଇକ ଏ ଥରକ ବଡ଼ଜେମା ନାଆରେ ବସିଲା । ନାଆ ଆସି ଏ କୂଳରେ ଲାଗିଲାରୁ ରଜାପୁଅମାନେ ଜେମାମାନଙ୍କୁ ଭାରି ବହୁମାନରେ ମେଲାଣି ଦେଲେ, ଆଉ, କାଲିକି ଆସିବାକୁ କେତେମନ୍ତେ କହିଲେ । ଜେମା ମାନେ ହଁ କରି ଆସିଲେ । ଏମାନେ ସିମିତି ବଗିଚା ଫଗିଚା ଡେଇଁ ଉଆସ ପାହାଚ ପାଖେ ଆସି ପହଞ୍ଚିଲା ମାତ୍ରକେ, ପାଇକ ତ ଜାଣିକରି ଏଥର ବଡ଼ଜେମା ପାଖେ ପାଖେ ଥିଲା, କଣ କଲା ନା, ଆଗେ ଆଗେ ଧାଇଁଯାଇ ଆପଣା ଖଟରେ ଚେକାବାନ୍ଧି ଘୁଙ୍ଗୁଡ଼ି ମାରି ପଡ଼ିଗଲା । ରାତି ସେତେବେଳକୁ ଫସର ଫାଟି ଯାଇଚି । ଜେମାଏ ଯାଇ ଦେଖିଲେ, ପାଇକର ନିଦ ଭାଜିନି, ସିମିତି ଖଟରେ ଆଣ୍ଠୁ ମୁଣ୍ତ ଯୋଡ଼ି ପଡ଼ିଚି । ଦେଖି ମନେ ମନେ ଭାରି ଆନନ୍ଦ ହେଲେ । ଲୁଗାପଟା ପାଲଟି, ଗୋଡ଼ ହାତ ଧୋଇ ଯେଝା ଖଟରେ ଯିଏ ଶୋଇ ପଡ଼ିଲେ ।

 

ପାଇକ ସକାଳୁ ଉଠି କାହାକୁ କିଛି କହିଲା ନାଇଁ । ତା ଆର ରାତି, ତା ଆର ରାତି ଇମିତି ଆଉ ଦି’ ରାତି ଜେମାଙ୍କ ସାଙ୍ଗରେ ସେଇପରି ଯାଇ ସବୁ ଦେଖିଲା । ଶେଷଦିନ ରାତିରେ ଗଲା ଯେ, ରଜାପୁଏ ଜେମାଙ୍କୁ ଖାଇବାକୁ ଦେଇଥିବା ସୁନା ଥାଳିଆରୁ ପଟେ କାଖରେ ଜାକି ଘେନି ଆସିଲା ।

 

ତିନିଦିନ ତିନିରାତି ପୂରିଗଲାରୁ ଛାମୁରୁ ହୁକୁମ ଆସିଲା, କଣ ହୋଇଚି କହିବାକୁ । ପାଇକ ଗଲା । ସାଙ୍ଗରେ ସୁନା, ରୂପା, ହୀରାର ତିନୋଟି ଡାଳ, ଆଉ ସୁନା ଥାଳିଆଟି ନେଲା ।

 

ରଜା ପଚାରିଲେ, ‘‘ଜେମାମାନେ ରାତିରେ ଉଠି କୁ’ ରାଇଜକୁ ବୁଲି ଯାଆନ୍ତି କହି ପାରିବ ?’’

 

ପାଇକ କହିଲା, ‘‘ମଣିମା, କହି ପାରିବି । ଜେମାଏ ଯୁ’ଠିକି ଯାଇଚନ୍ତି ସେ ଏକ ଅପୂରୁବ ରାଇଜ । ସେଠା ଗଛପତ୍ର ସୁନା, ରୂପା, ହୀରାରେ ଗଢ଼ା । ସେଠା ନଈ ପୋଖରୀରେ ଦୁଧ ବୋହେ । ସେ ଦେଶର ମେଘମାନେ ଅମୃତ ବରଷନ୍ତି । ଜେମାଏ ସେଇ ରାଇଜକୁ ଯାଇ ବାରଜଣ ରଜାପୁଅଙ୍କ ସାଙ୍ଗେ ଖେଳା ବୁଲା କରନ୍ତି’’ -ୟା କହି, ଆଣିଥିବା ତିନୋଟି ଡାଳ ଆଉ ସୁନା ଥାଳିଆଟି ରଜାଙ୍କ ପାଦତଳେ ଥୋଇଦେଲା । ରଜା ଚିତ୍ରପ୍ରତିମା ପରି ସବୁ ଶୁଣୁଥିଲେ, ୟା ଦେଖି ଭାରି ଆଶିରିଯ ହେଲେ । ବାରଝିଅଙ୍କୁ ଡକେଇ ୟାର ତଥ୍ୟାତଥ୍ୟ ବୁଝିବାକୁ ପଚାରିଲେ । ଜେମାଏ ଆସି କବାଟ କଣରେ ଠିଆହେଇ ସବୁ ଶୁଣୁଥିଲେ । ବାପାଙ୍କ ଆଗରେ ନାହିଁ କରିବାକୁ ଆଉ ବାଟ ନାଇଁ । ସବୁ ସତ ସତ କଥା କହିଗଲେ ।

 

ରଜା ସେଠୁ ପାଇକ ଉପରେ ଭାରି ଖୁସି ହୋଇ କହିଲେ,‘‘ଏମାନଙ୍କ ଭିତରୁ ତମେ କାହାକୁ ବିଭା ହବ କହ ।’’

 

ପାଇକ କହିଲା, ‘‘ମୁଁ ତ ବୁଢ଼ା ହେଇ ଆସିଲିଣି ।’’ ୟା କହି ବଡ଼ଜେମାର ହାତ ଧରି ନେଇଗଲା ।

 

ବୁଢ଼ାବରକୁ ବଡ଼ କନିଆଁ, ବେଦୀରେ ବସି ବିଭାଘର ସରିଲା, ଭୋଜି ଭାତରେ ରାଇଜ ଭାସିଗଲା । ବରକନିଆଁ ସୁଖରେ ଯୁଗୁରାଇଜ କଲେ । ମୁଁ ଗଲାକୁ କଥା ନ କହିଲେ ।

Image